
ପୂଜନୀୟା ଶ୍ରୀମା’ ଭାବମୟୀ ପରମହଂସ
“ବିବେକ ହେଉଛି ଜ୍ଞାନ ବୃକ୍ଷର ବୀଜ,
ବିଚାର ହେଉଛି ମୂଳ ।
ଗୁରୁକୃପା ହେଉଛି ବୃକ୍ଷରେ ଜଳସେଚନ,
ଆତ୍ମଜ୍ଞାନ ହେଉଛି ଏହି ବୃକ୍ଷର ଫୁଲ
ଏବଂ ମୋକ୍ଷ ଅଟେ ତା’ର ଫଳ । “
– ମା’ –
ପୂଜ୍ୟା ମା’ ଭାବମୟୀ ପରମହଂସଙ୍କ ଜନ୍ମ ୧୯୩୨ ମସିହା ଫେବୃଆରୀ ୨୩ ତାରିଖରେ, ଓଡିଶାର ଅବିଭକ୍ତ କଟକ ଜିଲ୍ଲାର ଏକ ଛୋଟ ଗ୍ରାମରେ କୁଳୀନ ବ୍ରାହ୍ମଣ ପରିବାରରେ ହୋଇଥିଲା। ସେ ଥିଲେ ନିଜ ପିତାମାତାଙ୍କର ପ୍ରଥମ ସନ୍ତାନ ଏବଂ ପରିବାରରେ ଏକମାତ୍ର କନ୍ୟା।
ବାଲ୍ୟାବସ୍ଥାରେ ହିଁ ମା’ ଙ୍କର ଅଲୌକିକ ଦିବ୍ୟତାର ଅନେକ ଲକ୍ଷଣ ପ୍ରକାଶ ପାଇଥିଲା । ମାତ୍ର ୧୯୫୩ ମସିହା ବେଳକୁ ତାଙ୍କ ପିତାମାତା ଅନେକ କିଛି ଦିବ୍ୟତାର ଆଭାସ ପାଇସାରିଥିଲେ ଏବଂ ନିଶ୍ଚିତ ହୋଇଯାଇଥିଲେ ଯେ ତାଙ୍କର କନ୍ୟା କିଛି ବୃହତ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ । ଏହି ଦିବ୍ୟତାର ଆଭାସ ଓ ଦିବ୍ୟ ଦର୍ଶନଗୁଡ଼ିକ ପ୍ରାୟ ଗୋଟିଏ ବର୍ଷ ଧରି ଚାଲିଥିଲା । ପରିବାରର ବହୁ ସଦସ୍ୟ ଏବଂ ଅନ୍ୟ କିଛି ଲୋକମାନେ ମା’ଙ୍କର ଅନେକ ଅଲୌକିକ ଘଟଣାର ସାକ୍ଷୀ ହୋଇଥିଲେ।


ଏହି ସମସ୍ତ ଦିବ୍ୟ ଘଟଣାବଳୀର ପରିପ୍ରକାଶ ମଧ୍ୟରେ, ମା’ ସ୍ୱୟଂକୁ ସମାଜଠାରୁ ଦୂରେଇ ରଖିଥିଲେ ଏବଂ ସମସ୍ତ ସମୟ ଆଧ୍ୟାତ୍ମିକ ଅଭ୍ୟାସ, ଧ୍ୟାନ ଏବଂ ଶାସ୍ତ୍ରାଧ୍ୟୟନରେ ନିବେଶ କରିଥିଲେ । ଦୀର୍ଘ କିଛି ବର୍ଷ ତୀବ୍ର ସାଧନା କରିବା ପରେ, ମା’ ପ୍ରାୟ ଗୋଟିଏ ବର୍ଷ ସମ୍ପୂର୍ଣ୍ଣ ଏକାନ୍ତରେ ଗଭୀର ଧ୍ୟାନମଗ୍ନା ରହିଥିଲେ ।
ଏହି ସମୟରେ, ମା’ଙ୍କୁ ପ୍ରାପ୍ତ ଦୈବୀ ନିର୍ଦ୍ଦେଶ ଅନୁଯାୟୀ ସେ ଉତ୍ତର ଦିଗରେ ହିମାଳୟର ପାଦଦେଶରେ ସ୍ଥିତ ଋଷିକେଶରେ ପ୍ରସିଦ୍ଧ ଗୁରୁ ସ୍ୱାମୀ ଶିବାନନ୍ଦଜୀ ମହାରାଜଙ୍କ ଆଶ୍ରମକୁ ଯାଇଥିଲେ ଓ ସ୍ୱାମୀଜୀଙ୍କ ପାଖରୁ ଔପଚାରିକ ଦୀକ୍ଷା ଗ୍ରହଣ କରିଥିଲେ । ଦୀକ୍ଷା ଗ୍ରହଣ ପରେ ମା’ ପବିତ୍ର ଗଙ୍ଗାତଟରେ ଥିବା ଶିବାନନ୍ଦ ଆଶ୍ରମରେ ପ୍ରାୟ ଗୋଟିଏ ବର୍ଷ ଅତିବାହିତ କରିଥିଲେ ।
ପରେ, ପୂଜ୍ୟ ଗୁରୁଦେବ ସ୍ୱାମୀ ଶିବାନନ୍ଦଜୀ ମହାରାଜ ମା’ଙ୍କୁ ପୁରୀକୁ ଫେରି ପରବର୍ତ୍ତୀ ସମୟ ସେଠାରେ ଅତିବାହିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗୁରୁଦେବଙ୍କ ଆଦେଶକୁ ଅନୁସରଣ କରି, ମା’ ପୁରୀଧାମକୁ ଫେରି ଆସି ନିଜ ସାଧନାକୁ ଅବ୍ୟାହତ ରଖିଥିଲେ ଏବଂ ଦିବ୍ୟଧାମ ଯୋଗାଶ୍ରମ ସ୍ଥାପନ ଦିଗରେ ପ୍ରଚେଷ୍ଟା କରିଥିଲେ । ଏହି ଆଶ୍ରମରେ ମା’ ନିଜର ସମସ୍ତ ଆଧ୍ୟାତ୍ମିକ ଜୀବନ ଅତିବାହିତ କରିଥିଲେ । ପରବର୍ତ୍ତୀ ସମୟରେ ଦିବ୍ୟଧାମ ଯୋଗାଶ୍ରମ ତାଙ୍କର ଅଗଣିତ ଶିଷ୍ୟ ଓ ଶିଷ୍ୟାମାନଙ୍କ ପାଇଁ ଆଶ୍ରୟସ୍ଥଳୀ ହେଲା।


ଜାତି ଓ ଧର୍ମ ନିର୍ବିଶେଷରେ, ଭାରତ ଓ ଭାରତ ବାହାରୁ ଅନେକ ସାଧକ ଓ ସାଧିକା ଆସି ମା’ଙ୍କ ଚରଣରେ ଆଶ୍ରିତ ହୋଇଛନ୍ତି ଏବଂ ତାଙ୍କର ନିର୍ଦ୍ଦେଶ ସବୁକୁ ମାନି ଭଗବତ୍-ସାକ୍ଷାତ୍କାର ପାଇଁ ଗଭୀର ପ୍ରୟାସ କରିଛନ୍ତି । ମା’ଙ୍କର ସଂସ୍ପର୍ଶରେ ଆସି ସେମାନେ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେ କରିଛନ୍ତି ଏବଂ ମା’ ମଧ୍ୟ ଏହି ଅମୂଲ୍ୟ କୃପା ତଥା ଦିଗ୍ଦର୍ଶନ ଅକୁଣ୍ଠିତ ଚିତ୍ତରେ ସେମାନଙ୍କୁ ପ୍ରଦାନ କରିଛନ୍ତି ।
ନିଜର ଅନ୍ତିମ ନିଃଶ୍ୱାସ ପର୍ଯ୍ଯନ୍ତ ମା’ ସବୁକିଛି ନିଃସ୍ୱାର୍ଥପର ଭାବରେ ଆଧ୍ୟାତ୍ମିକ ସନ୍ତାନମାନଙ୍କ ପାଇଁ ଏବଂ ସାଧାରଣ ଭାବରେ ମାନବଜାତି ପାଇଁ ଉତ୍ସର୍ଗ କରିଯାଇଛନ୍ତି । ମଇ ମାସ ୩ ତାରିଖ, ୨୦୦୨ ମସିହାରେ ମା’ ମହାପ୍ରୟାଣ ପ୍ରାପ୍ତ କରି ତାଙ୍କ ଶାଶ୍ୱତ ବାସସ୍ଥାନକୁ ଫେରିଯାଇଥିଲେ।
ମା’ଙ୍କର ଦିବ୍ୟ ସୂକ୍ଷ୍ମ ଉପସ୍ଥିତି ଆଶ୍ରମରେ ଅଦ୍ୟାବଧି ଶାନ୍ତି ଏବଂ ନିଷ୍କାମ ପ୍ରେମର ପରିପ୍ରକାଶ କରୁଅଛି । ମାନବ ଜଗତର କଲ୍ୟାଣ ପାଇଁ ଦିବ୍ୟଧାମ ଯୋଗାଶ୍ରମ ମା’ଙ୍କର ଦିବ୍ଯ ଶକ୍ତି ଏବଂ ବାର୍ତ୍ତାର ପ୍ରସାରଣ ଜାରି ରଖିଛି । ତାଙ୍କର ଆଶୀର୍ବାଦ ସଦା ସର୍ବଦା ଶିଷ୍ୟ ଓ ଭକ୍ତମାନଙ୍କୁ ଆଧ୍ୟାତ୍ମିକ ପଥରେ ଆଗକୁ ବଢ଼ିବାକୁ ପ୍ରେରଣା ଦେଉଛି। ଆଶ୍ରମ ପରିସରରେ, ଯେଉଁଠି ମା’ଙ୍କର ପବିତ୍ର ପାର୍ଥିବ ଶରୀର ସମାଧିସ୍ଥ, ସେଠାରେ ଏକ ମନ୍ଦିର ନିର୍ମାଣ ହୋଇଅଛି ଏବଂ ଦୈନିକ ପୂଜାର୍ଚ୍ଚନା କରାଯାଉଅଛି ।

