କାର୍ଯ୍ୟକଳାପ

ପୂଜନୀୟା ଶ୍ରୀମା’ ଭାବମୟୀ ପରମହଂସଙ୍କର ଦିବ୍ୟ ଉପଦେଶଗୁଡ଼ିକୁ ଜୀବନରେ ଅନୁଭବ କରିବା ଓ ସମାଜରେ ପ୍ରଚାର କରିବା ପାଇଁ ଦିବ୍ୟଧାମ ଯୋଗାଶ୍ରମର କାର୍ଯ୍ୟକଳାପଗୁଡ଼ିକ ଏକ ପୁଣ୍ୟ ସୁଯୋଗ ପ୍ରଦାନ କରେ। ମା’ଙ୍କ କୃପାରେ, ଆଶ୍ରମର ସମସ୍ତ କାର୍ଯ୍ୟକଳାପ—ସାଧନା, ସେବା, ଆଧ୍ୟାତ୍ମିକ ଜ୍ଞାନର ପ୍ରଚାର କିମ୍ବା ସାମାଜିକ ସହାୟତା ଆଦି ସବୁ କିଛି ତାଙ୍କର ପବିତ୍ର ପାଦପଦ୍ମରୁ ନିସୃତ, ଯାହା ଜନମାନସକୁ ଉଚ୍ଚତମ ଆଦର୍ଶ ସହିତ ସମନ୍ବିତ ଭାବରେ ଚଳିବା ପାଇଁ ପ୍ରେରଣା ଦେଉଛି।

“ତୁମେ ଭଗବାନଙ୍କ ପଛରେ ଦଉଡ଼ ନାହିଁ,
କର୍ତ୍ତବ୍ୟ କରି ଚାଲ;
ଭଗବାନ ତାଙ୍କ ହାତରେ କୃପାପାତ୍ର ନେଇ
ତୁମ ପଛେପଛେ ଆସିବେ। “

– ମା’ –

ପୂଜ୍ୟନୀୟା ଶ୍ରୀମା’ ଭାବମୟୀ ପରମହଂସ

ଦୈନିକ ଆଧ୍ୟାତ୍ମିକ କାର୍ଯ୍ୟକଳାପ

ସାଧକମାନେ ସୂର୍ଯ୍ୟୋଦୟ ପୂର୍ବରୁ ଉଠି, ନିଜର ବ୍ୟକ୍ତିଗତ ଆଧ୍ୟାତ୍ମିକ ସାଧନା କରିଥାନ୍ତି । ପ୍ରଭାତ ୫ଟାରେ ମନ୍ଦିରରେ ଆରତି ହୁଏ। ଏହା ପରେ ହୋମ (ଅଗ୍ନିହୋତ୍ର), ପୂଜା (ଦେବଦେବୀଙ୍କ ଉପାସନା) ଏବଂ ଭଗବଦ୍‌ଗୀତା, ବିଷ୍ଣୁ ସହସ୍ରନାମ ସହିତ ଅନ୍ୟାନ୍ୟ ପବିତ୍ର ଶାସ୍ତ୍ରଆଦିର ପାଠ ହୁଏ। ତାପରେ, ସ୍ମୃତି ମନ୍ଦିରରେ ଶ୍ରୀମା’ଙ୍କୁ ଗୁରୁପୂଜା କରାଯାଏ।

ଶ୍ରୀମା’ଙ୍କର ସମାଧି ଓ ମୂର୍ତ୍ତି

ଶ୍ରୀମା’ଙ୍କର ସ୍ମୃତି ମନ୍ଦିର


ସନ୍ଧ୍ୟାବେଳେ ପୁଣି ଥରେ ମନ୍ଦିରରେ ଆରତି ଅର୍ପଣ କରାଯାଏ, ଯାହା ଶିଷ୍ୟ ଓ ଭକ୍ତମାନଙ୍କୁ ମା’ଙ୍କର ଶାଶ୍ୱତ ସାନିଧ୍ୟର ସ୍ମରଣ କରାଇଦେଇଥାଏ। ଏହାପରେ, ସତସଙ୍ଗ ଓ ଭକ୍ତିଗୀତ ସହିତ ଦିନଟି ଐଶ୍ୱରୀୟ ଅନୁଭବ ମଧ୍ୟରେ ସମାପ୍ତ ହୋଇଥାଏ ।

ଯୋଗ, ଭାରତୀୟ ଦର୍ଶନ ଏବଂ ସଙ୍ଗୀତର ଶିକ୍ଷା ଓ ପ୍ରଶିକ୍ଷଣ

ଦିବ୍ୟଧାମ ଯୋଗାଶ୍ରମର ଯୋଗ ପ୍ରତିଷ୍ଠାନ ନାନାପ୍ରକାର ଯୋଗ, ଭାରତୀୟ ଦର୍ଶନ ଏବଂ ଭକ୍ତି ଓ ଶାସ୍ତ୍ରୀୟ ସଙ୍ଗୀତରେ ଶିକ୍ଷା ପ୍ରଦାନ କରିଥାଏ । କର୍ମଯୋଗ, ଭକ୍ତିଯୋଗ, ଜ୍ଞାନଯୋଗ ଓ ରାଜଯୋଗର ଶିକ୍ଷା ସହିତ, ଭଗବଦ୍‌ଗୀତା, ଶ୍ରୀମଦ୍‌ଭାଗବତ ଓ ଉପନିଷଦ ଆଦି ପବିତ୍ର ଶାସ୍ତ୍ରଗୁଡ଼ିକର ବ୍ୟାଖ୍ୟାନ କରାଯାଇଥାଏ । ଭାରତ ଏବଂ ବିଦେଶରୁ ଆସୁଥିବା ଛାତ୍ରମାନଙ୍କ ପାଇଁ ଉଭୟ ସ୍ୱଳ୍ପକାଳୀନ ଏବଂ ଦୀର୍ଘକାଳୀନ ଆବାସିକ ପାଠ୍ଯକ୍ରମ ଏବଂ ଯୋଗ ଶିକ୍ଷାଦାନର ଆୟୋଜନ କରାଯାଇଥାଏ।

ଖୋର୍ଦ୍ଧା ଜିଲ୍ଲାର ମୋଟରୀରେ ଥିବା ଦିବ୍ୟଧାମ ତପୋବନ ଆଶ୍ରମରେ ଶୀତକାଳୀନ “ଯୋଗ ଶିକ୍ଷା ଅଧିବେଶନ” ଶୃଙ୍ଖଳା ମଧ୍ୟରେ ହଟଯୋଗ ଶିକ୍ଷା, ଆଧ୍ୟାତ୍ମିକ ବ୍ୟାଖ୍ୟାନ, ମନ୍ତ୍ରଲେଖନ, ଜପ, ଧ୍ୟାନ, କର୍ମଯୋଗ ଏବଂ ସତସଙ୍ଗ ଆଦି ଅନ୍ତର୍ଭୁକ୍ତ ହୋଇଥାଏ I ଦିନଚର୍ଯ୍ୟାରେ ଏହି ଶିକ୍ଷାଗୁଡ଼ିକୁ ସମ୍ମିଳିତ କରିବାରେ ଗୁରୁତ୍ୱ ଦିଆଯାଏ, ବିଶେଷ କରି ଛାତ୍ରମାନଙ୍କର ଆଧ୍ୟାତ୍ମିକ ଉନ୍ନତି ଓ ଅନ୍ତକରଣର ରୂପାନ୍ତରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ।

ହଠଯୋଗ ଶିକ୍ଷା, ଜାନୁଆରୀ ୨୦୨୪

ଆଧ୍ୟାତ୍ମିକ ମାର୍ଗଦର୍ଶନ ଓ ଶିକ୍ଷା

ଆଧ୍ୟାତ୍ମିକ ଜ୍ଞାନ ଅନ୍ବେଷୀ ସମସ୍ତ ଶିଷ୍ୟମାନଙ୍କୁ ବ୍ୟକ୍ତିଗତ ସାକ୍ଷାତ୍‌କାର କିମ୍ବା ପତ୍ର ଦ୍ୱାରା ନିର୍ଦ୍ଦେଶ କିମ୍ବା ଉପଦେଶ ଦିଆଯାଏ। ପ୍ରତ୍ୟେକ ବ୍ୟକ୍ତିର ପରିସ୍ଥିତି ଅନୁସାରେ, ଆଶ୍ରମ ସେମାନଙ୍କୁ ଏକ ଆଦର୍ଶ ଗୃହସ୍ଥର ଜୀବନ ବାସ କରିବାକୁ କିମ୍ବା ପୂର୍ଣ୍ଣକାଳୀନ ସାଧକ ଭାବେ ନିଜକୁ ସମର୍ପିତ ହେବାକୁ ପ୍ରେରଣା ଦିଏ

ପୂଜ୍ୟ ସ୍ୱାମୀ ଆନନ୍ଦଜୀ ମହାରାଜଙ୍କ ଦ୍ୱାରା ଭକ୍ତମାନଙ୍କ ସହିତ ପ୍ରଶ୍ନୋତ୍ତର ଓ ଚର୍ଚ୍ଚା, ଅଗଷ୍ଟ ୨୦୨୨

ସଙ୍ଗୀତଗୁରୁ ଶ୍ରୀଯୁକ୍ତବିଜୟ ମହାପାତ୍ରଙ୍କ ଦ୍ୱାରା ଦୋଳ ପୂର୍ଣ୍ଣିମା ଅବସରରେ ଆଶ୍ରମରେ ସଙ୍ଗୀତ ପରିବେଷଣ, ମାର୍ଚ୍ଚ ୨୦୨୩

ସାଧୁସନ୍ଥ ସେବା

ପୁଣ୍ୟତିଥିରେ ଆମନ୍ତ୍ରିତ ବୈଷ୍ଣବମାନେ

ଭାରତର ବିଭିନ୍ନ ସ୍ଥାନରୁ ଆସୁଥିବା ସାଧୁସନ୍ଥ ଏବଂ ସାଧକମାନଙ୍କୁ, ସେମାନଙ୍କର ପରମ୍ପରା କିମ୍ବା ଆସ୍ଥା ନିର୍ବିଶେଷରେ, ଆଶ୍ରମରେ ସମ୍ମାନ ଓ ସ୍ନେହ ସହିତ ସ୍ୱାଗତ କରାଯାଏ। ସେମାନଙ୍କୁ ବର୍ଷସାରା ରହିବା, ଖାଇବା, ବସ୍ତ୍ର ଏବଂ ଆର୍ଥିକ ସହାୟତା ଆଶ୍ରମ ତରଫରୁ ଯୋଗାଇ ଦିଆଯାଇଥାଏ ।

ଆଧ୍ୟାତ୍ମିକ ପ୍ରକାଶନ

ଆଧ୍ୟାତ୍ମିକ ଜ୍ଞାନର ପ୍ରସାର ପାଇଁ ପରମ୍ପରାଗତ ଉଦ୍ଦେଶ୍ୟ ଅନୁଯାୟୀ, ଦିବ୍ୟଧାମ ଯୋଗାଶ୍ରମ ଓଡ଼ିଆ, ଇଂରାଜୀ, ଜାପାନୀ, ସ୍ପାନିଶ ଓ ଫରାସୀ ଭାଷାରେ ସମୟ ସମୟରେ ପୁସ୍ତକ ଓ ପୁସ୍ତିକାମାନ ପ୍ରକାଶ କରିଥାଏ । ଏହି ପ୍ରକାଶନଗୁଡିକ ପୂଜ୍ୟ ମା’ଙ୍କର ଶିକ୍ଷା ମାଧ୍ୟମରେ ସତ୍ୟ ଅନୁସନ୍ଧିତ୍ସୁ ସାଧକମାନଙ୍କୁ ପଥ ପ୍ରଦର୍ଶନ କରିବାକୁ ଉଦ୍ଦିଷ୍ଟ ଥାଏ ।

ସାମାଜିକ କଲ୍ୟାଣକାରୀ କାର୍ଯ୍ୟକଳାପ

ଦିବ୍ୟଧାମ ଯୋଗାଶ୍ରମ ବିଭିନ୍ନ ସାମାଜିକ କଲ୍ୟାଣ କାର୍ଯ୍ୟରେ ନିୟୋଜିତ ରହି ଆସୁଅଛି । ଏକ ଦୂରସ୍ଥ ପଲ୍ଲୀ ଅଞ୍ଚଳ, ମୋଟରୀ ଠାରେ ଅବସ୍ଥିତ ଆଶ୍ରମର ଏକ ଉପକେନ୍ଦ୍ର ‘ତପୋବନ ଆଶ୍ରମ’ ଦ୍ୱାରା ଏକ ଦାତବ୍ୟସେବାମୂଳକ ଔଷଧାଳୟ ପରିଚାଳିତ ହେଉଅଛି, ଯେଉଁଠାରେ ଲୋକମାନେ ବହୁଦିନ ଧରି ଯଥାର୍ଥ ଚିକିତ୍ସା ସୁବିଧାରୁ ବଞ୍ଚିତ ଥିଲେ। ପୁରୀରେ ଅବସ୍ଥିତ ଅନ୍ୟ ଏକ ସେବାମୂଳକ ହୋମିଓପ୍ୟାଥିକ୍‌ ଔଷଧାଳୟରେ ଆବଶ୍ୟକତା ଅନୁଯାୟୀ ଲୋକମାନଙ୍କୁ ନିଶୁଳ୍କ ଚିକିତ୍ସା ଓ ଔଷଧ ପ୍ରଦାନ କରାଯାଏ। ପ୍ରତି ଶନିବାର ଓ ରବିବାର ଦିନ ଆଶ୍ରମ ପରିସରରେ ରନ୍ଧା ପ୍ରସାଦ ‘ନାରାୟଣ ସେବା’ର ପରମ୍ପରା ଭାବେ ବିତରଣ କରାଯାଏ। ନିରାଶ୍ରୟ ଅଭାବଗ୍ରସ୍ତ ଲୋକମାନଙ୍କୁ ମଧ୍ୟ ଆଶ୍ରମ ତରଫରୁ ଖାଦ୍ୟ ଓ ଅନ୍ୟାନ୍ୟ ଦାନ ଯୋଗାଇ ଦିଆଯାଏ। ଆଶ୍ରମ ଆବଶ୍ୟକତା ଅନୁସାରେ ଛାତ୍ରମାନଙ୍କୁ ଆଶ୍ରୟ, ଖାଦ୍ୟ ଓ ଛାତ୍ରବୃତ୍ତି ମଧ୍ୟ ଯୋଗାଇ ଦେଇଥାଏ । ଏହା ବ୍ୟତୀତ, ବୃଦ୍ଧ, ଅଭାବଗ୍ରସ୍ତ ମୋଟରୀ ଅଞ୍ଚଳବାସୀମାନକୁ ଆଶ୍ରମ ତରଫରୁ ସମୟ ସମୟରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ।

ଦିବ୍ୟଧାମ ଯୋଗାଶ୍ରମ ସେବାମୂଳକ ଔଷଧାଳୟ, ମୋଟରୀ

ଶ୍ରୀକ୍ଷେତ୍ର ପରିକ୍ରମା ସମୟରେ ଆଶ୍ରମ ତରଫରୁ ଯାତ୍ରୀମାନଙ୍କୁ ଖାଦ୍ୟ ବଣ୍ଟନ

ଚକ୍ଷୁ ଶିବିରରେ ଡାକ୍ତରଙ୍କ ପରୀକ୍ଷା, ଗଣତନ୍ତ୍ର ଦିବସ

ଦୁର୍ଗାପୂଜାରେ ଅତିଥିମାନଙ୍କ ପାଇଁ ଆଶ୍ରମ ପରିସରରେ ପ୍ରସାଦ ସେବା

ଗୋ-ସେବା (ଗୋମାତା ସେବା)

ଦିବ୍ୟଧାମ ଯୋଗାଶ୍ରମ ଆଶ୍ରମ ଅଧୀନରେ ଦୁଇଟି ଗୋଶାଳା ଅଛି—ଗୋଟିଏ ପୁରୀସ୍ଥିତ ବନପ୍ରସ୍ଥ ଆଶ୍ରମରେ ଏବଂ ଅନ୍ୟଟି ମୋଟରୀସ୍ଥିତ ତପୋବନ ଆଶ୍ରମରେ। ଏହି ଗୋଶାଳାଗୁଡ଼ିକରେ ଦୁଗ୍ଧାଳୁ ଗୋମାତାମାନଙ୍କ ସହିତ ବୟସ୍କା, ବନ୍ଧ୍ୟା ଓ ଦୁଗ୍ଧଦାନ ଅକ୍ଷମମାନଙ୍କୁ ମଧ୍ୟ ସେବା ସହିତ ରଖାଯାଏ। ଗୋଶାଳାରୁ ଉତ୍ପନ୍ନ ସଦ୍ୟ ଦୁଗ୍ଧ ପ୍ରତିଦିନ ଆଶ୍ରମରେ ବ୍ୟବହୃତ ହୁଏ ଓ ଏଥିରୁ ଘିଅ ପ୍ରସ୍ତୁତ କରାଯାଇ ବିଶ୍ୱଶାନ୍ତି ଉଦ୍ଦେଶ୍ୟରେ ପ୍ରତିଦିନର ଯଜ୍ଞରେ ବ୍ୟବହୃତ ହୋଇଥାଏ।

ଶ୍ରୀମା’ ଆଶ୍ରମର ଗୋଶାଳାରେ ଏକ ବାଛୁରୀ ସହିତ

ମୋଟରୀସ୍ଥିତ ତପୋବନ ଆଶ୍ରମର ଗୋଶାଳା

ପର୍ବପର୍ବାଣୀ ଓ ଉତ୍ସବ

ଦିବ୍ୟଧାମ ଯୋଗାଶ୍ରମରେ ପାଳନ କରାଯାଉଥିବା ପର୍ବପର୍ବାଣୀ ମଧ୍ୟରେ ସର୍ବପ୍ରଧାନ ହେଉଛି ପୂଜ୍ୟା ମା’ଙ୍କର ଅବିର୍ଭାବ ଦିବସ ଏବଂ ଗୁରୁପୂର୍ଣ୍ଣିମା। ଭାରତ ଏବଂ ବିଦେଶରୁ ବହୁ ଶିଷ୍ୟ ଓ ଭକ୍ତମାନେ ଆସି ଏହି ସମାରୋହରେ ଯୋଗ ଦିଅନ୍ତି । ଆଶ୍ରମର ଅନ୍ୟ ଏକ ମୁଖ୍ୟ ପର୍ବ ହେଉଛି ସେପ୍ଟେମ୍ବର–ଅକ୍ଟୋବରରେ ପାଳିତ ହେଉଥିବା ଷୋଡ଼ଶ ଦିବସ ବ୍ୟାପି ଦୁର୍ଗାପୂଜା। ଏହା ସହିତ ଆଶ୍ରମରେ ପାଳନ କରାଯାଉଥିବା ଅନ୍ୟ ପର୍ବପର୍ବାଣୀମାନ ହେଲା – ଶ୍ରୀରାମ ନବମୀ, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ଦୀପାବଳୀ, ରଥଯାତ୍ରା ଓ ଖ୍ରୀଷ୍ଟମାସ ଆଦି I ଦିବ୍ୟଧାମ ଯୋଗାଶ୍ରମ ସମସ୍ତ ଧର୍ମକୁ ସମ୍ମାନ କରେ ଏବଂ ସମସ୍ତ ଧର୍ମର ମୂଳତତ୍ତ୍ୱ ଏକ ବୋଲି ବିଚାର କରେ ।

ଶ୍ରୀମା’ଙ୍କର ଆବିର୍ଭାବ ଉତ୍ସବ

ଆଶ୍ରମରେ ପାଳିତ ଶ୍ରୀରାମନବମୀ ଉତ୍ସବ

ଗୀତା ଜୟନ୍ତୀର ଯଜ୍ଞ

ଆଶ୍ରମରେ ପାଳିତ ଖ୍ରୀଷ୍ଟମାସ

ସାଂସ୍କୃତିକ ଓ କଳାତ୍ମକ କାର୍ଯ୍ୟକଳାପ

ଆଶ୍ରମ ସାଂସ୍କୃତିକ ଓ କଳାତ୍ମକ କାର୍ଯ୍ୟକଳାପକୁ ସର୍ବଦା ପ୍ରୋତ୍ସାହନ ପ୍ରଦାନ କରେ ତଥା ପ୍ରତିଷ୍ଠିତ କଳାକାର ଓ ଛାତ୍ରମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପର୍ବପର୍ବାଣୀ ଓ ଉତ୍ସବମାନଙ୍କ ଅବସରରେ ଆୟୋଜିତ ଭକ୍ତିସଙ୍ଗୀତ, ନୃତ୍ୟ ଓ ନାଟକର ପ୍ରସ୍ତୁତିରେ ସେମାନଙ୍କୁ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରିଥାଏ I ଶ୍ରୀମା’ଙ୍କର ଆବିର୍ଭାବ ଉତ୍ସବ ଓ ଗୁରୁପୂର୍ଣ୍ଣିମା ଅବସରରେ ଆଶ୍ରମ ପରିସରରେ, ଏକ ବିଶେଷ ସାଂସ୍କୃତିକ ଓ କଳାତ୍ମକ ସଭା ଅନୁଷ୍ଠିତ ହୁଏ ଯାହା ‘ଆନନ୍ଦ ସଭା’ ଭାବରେ ନାମିତ। ଭାରତ ଏବଂ ବିଦେଶରୁ ଆସୁଥିବା ଛାତ୍ର, ଭକ୍ତ ଏବଂ ଶିଷ୍ୟମାନଙ୍କୁ ଏହି କାର୍ଯ୍ୟକ୍ରମଗୁଡ଼ିକରେ ଏବଂ ପ୍ରତିଦିନର ପ୍ରାର୍ଥନା ସଭାରେ ସକ୍ରିୟ ଅଂଶଗ୍ରହଣ କରିବାର ସୁଯୋଗ ଦିଆଯାଇଯାଏ।

‘ଆନନ୍ଦ ସଭା’ରେ ପେସାଦାର ସଙ୍ଗୀତଶିଳ୍ପୀମାନଙ୍କ ସହିତ ଏକ ଯୁବ କଳାକାରଙ୍କ ଭଜନ ପ୍ରସ୍ତୁତି

ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଆନନ୍ଦ ସଭାରେ ନୃତ୍ୟ ପ୍ରସ୍ତୁତି

ଧାର୍ମିକ ଓ ଐତିହାସିକ ସ୍ଥଳଗୁଡ଼ିକର ରକ୍ଷଣାବେକ୍ଷଣ

ମା’ ବଘେଈ ଠାକୁରାଣୀ, ମନ୍ଦାରବସ୍ତ

ଓଡିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟର ସୁରକ୍ଷା ପ୍ରତି ଲକ୍ଷ୍ୟ ରଖି, ଆଶ୍ରମ ବିଭିନ୍ନ ଧାର୍ମିକ ଓ ଐତିହାସିକ ସ୍ଥଳଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇଥାଏ।

ଏଥିରେ ଶ୍ରୀଜଗନ୍ନାଥ ମନ୍ଦିରର ପଶ୍ଚିମ ଦ୍ୱାରରେ ଅଖଣ୍ଡ ମହାମନ୍ତ୍ର ଜପ ପାଇଁ ମାସିକ ଅନୁଦାନ, ମନ୍ଦାରବସ୍ତ ଗ୍ରାମର ବଘେଈ ମନ୍ଦିରର ଦୈନିକ ପୂଜା ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ସହାୟତା, ବିଭିନ୍ନ ମନ୍ଦିର ଓ ସଂସ୍ଥାଗୁଡ଼ିକୁ ମନ୍ଦିର ପୁନରୁଦ୍ଧାର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆର୍ଥିକ ଅନୁଦାନ ଅନ୍ତର୍ଭୁକ୍ତ।

ପୁନଃର୍ନିର୍ମାଣଧୀନ ବାଘେଇ ମନ୍ଦିରରେ
ପୂଜନୀୟା ଶ୍ରୀମା ଏବଂ ପୂଜ୍ୟ ସ୍ୱାମୀଜୀ, ୨୦୦୧ ମସିହାରେ

ନବନିର୍ମିତ ବାଘେଇ ମନ୍ଦିରର ଉଦ୍‌ଘାଟନ, ମାର୍ଚ୍ଚ ୨୦୦୩