
ପୂଜ୍ୟ ଶ୍ରୀ ନିର୍ବାଣାନନ୍ଦଜୀ ମହାରାଜ
ଅଧ୍ୟକ୍ଷ, ଦିବ୍ୟଧାମ ଯୋଗାଶ୍ରମ
ସାଧକ ପାଇଁ,
ପ୍ରତ୍ୟେକ ମୁହୂର୍ତ୍ତ ହେଉଛି ଏକ ନୂଆ ଆରମ୍ଭ।
ଗୁରୁଙ୍କ କୃପାରୁ, ତାଙ୍କ ଆଶ୍ରିତ ହୋଇ,
ସାଧନା ଠିକ୍ ଠିକ୍ କଲେ
ପ୍ରତ୍ୟେକ ସାଧକ
ସେହି ନୂତନ ନୂତନ ସୋପାନଗୁଡ଼ିକ
ଅନୁଭବ କରିପାରିବ।
–ଶ୍ରୀ ନିର୍ବାଣାନନ୍ଦ–
ପ୍ରିୟ ଭାଇ ଓ ଭଉଣୀମାନେ,
ଏକ ଆଧ୍ୟାତ୍ମିକ ସଚେତନାର ଶକ୍ତି ଶ୍ରୀଗୁରୁଙ୍କ ସତ୍ତା ସହିତ ନିବିଡ଼ ଭାବରେ ଜଡିତ ରହିବା, ଆତ୍ମ ପ୍ରଚେଷ୍ଟା ଉପରେ ନିର୍ଭର କରେ। ଦିବ୍ୟ ଇଂଜିନ ସଦୃଶ ଗୁରୁଙ୍କ ସହ ଯୋଡାଯାଇଥିବା କୋଚ ବା ବଗିଗୁଡ଼ିକର ଏକ ଶୃଙ୍ଖଳା ହେଉଛି ଗୁରୁ ପରମ୍ପରା। ଗୁରୁ ହେଉଛନ୍ତି ଈଶ୍ୱରଙ୍କ ଦିଗକୁ ଟାଣି ନେଇଥିବା ଦିବ୍ୟ ଇଞ୍ଜିନ୍।ଯେତେବେଳେ ଆମେ ଆନ୍ତରିକତାର ସହିତ ଏହି ଶୃଙ୍ଖଳା ମଧ୍ୟରେ ରହିଥାଉ, ଆମେ ଦିଶାହରା ହୋଇ ନ ଥାଉ। ଦିବ୍ୟ କୃପାର ଆଶୀର୍ବାଦରୁ ଆମେ ଏକ ଆଧ୍ୟାତ୍ମିକ ପରିବାର ଭାବେ ଜଡିତ ରହୁ।
ଆମ ଆଶ୍ରମ, ଏକ ସାମଗ୍ରିକ ଭାବରେ, ଗୁରୁ-ମାଆଙ୍କ ଉପସ୍ଥିତିର ଜୀବନ୍ତ, ଭୌତିକ ପ୍ରତୀକ। ଆଶ୍ରମ ହେଉଛି ଧରାପୃଷ୍ଠରେ ତାଙ୍କର ପୂର୍ଣ୍ଣ ଶରୀର। ପରମପୂଜ୍ୟା ମା’ କହୁଥିଲେ ଯେ ଆମର ଆଧ୍ୟାତ୍ମିକ ଭାଇ ଓ ଭଉଣୀମାନେ ହେଉଛନ୍ତି ସେଇ ମାଧ୍ୟମ ଯାହା ଆମକୁ ଗୁରୁମା’ଙ୍କ ସହ ସଂଯୁକ୍ତ ରଖେ। ଯେତେବେଳେ ଆମେ ଇଞ୍ଜିନ୍ ସଦୃଶ ଗୁରୁଙ୍କ ସହିତ ପରସ୍ପର ଯୁକ୍ତ ହୋଇଥାଉ, ସେତେବେଳେ ଆମେ ଆଗକୁ ବଢ଼ି ପାରୁ। ତେଣୁ ଆମର ଆଧ୍ୟାତ୍ମିକ ଭାଇ-ଭଉଣୀମାନଙ୍କ ସହ ପ୍ରେମ ଓ ଭରସାର ବନ୍ଧନକୁ ଦୃଢ଼ ରଖିବା ଉଚିତ, ଯାହାଦ୍ୱାରା ଗୁରୁଙ୍କ ସହିତ ଆମେ ନିବିଡ଼ ଭାବରେ ଜଡିତ ରହି ପାରିବା।
ଏକ ବୃକ୍ଷ ତାହାର ମୂଳ ସହ ସଂଯୁକ୍ତ ରହିଲେ ହିଁ ଜୀବନ୍ତ ରହେ। ଯେତେବେଳ ପର୍ଯ୍ୟନ୍ତ ଏହି ସଂଯୋଗ ଅକ୍ଷୁଣ୍ଣ ଥାଏ, ପୋଷଣ ସ୍ୱାଭାବିକ ଭାବେ ପ୍ରଭାବିତ ହୁଏ ଏବଂ ଗଛଟି ପ୍ରତି କ୍ଷଣରେ ପଲ୍ଲବିତ ହେଉଥାଏ। ସେହିପରି, ଏକ ସାଧକ ଗୁରୁ ଓ ଭଗବାନଙ୍କ ସହିତ ନିବିଡ ଭାବେ ଜଡିତ ରହିଲେ ଅଗ୍ରସରିତ ହୁଏ। ଗୁରୁ ଓ ଭଗବାନଙ୍କର କୃପା ନୂତନ ସଚେତନତା ଆଣେ ଏବଂ ପ୍ରତ୍ୟେକ କ୍ଷଣ ଏକ ନୂତନତ୍ୱ ପ୍ରଦାନ କରେ।
ବିକଶିତ ଆତ୍ମାମାନେ ସଦଗୁରୁଙ୍କୁ ସେବା କରିବା ପାଇଁ ଅତି ସାମାନ୍ୟ ଏକ ସୁଯୋଗର ଅପେକ୍ଷାରତ। ଆମକୁ ପୂଜନୀୟା ମାଆଙ୍କର ସିଧାସଳଖ ସେବା କରିବାର ଦୁର୍ଲଭ ସୁଯୋଗ ମିଳିଛି; ତେଣୁ ଆମେ ପ୍ରକୃତରେ ଅତ୍ୟନ୍ତ ଭାଗ୍ୟବାନ। ଏହି ସୁଯୋଗକୁ ହାରାଇବାର ଅର୍ଥ ନିଜକୁ ନିଜେ ଆତ୍ମଘାତୀ ଭାବିବା।
ସାଧନା ହେଉଛି ଦିବ୍ୟ କୃପାକୁ ଗ୍ରହଣ କରିବା ଏବଂ ଧାରଣ କରି ରଖିବା ପାଇଁ ନିଜକୁ ପ୍ରସ୍ତୁତ କରିବାର ପ୍ରକ୍ରିୟା। ସତ୍ୟ ଓ ଭକ୍ତି ସହ କରାଯାଇଥିବା ପ୍ରତ୍ୟେକ ପ୍ରୟାସ, ଯେତେ ଛୋଟ ହେଲେ ମଧ୍ୟ, ଗୁରୁ ତାହାକୁ ପ୍ରେମର ସହିତ ଗ୍ରହଣ କରନ୍ତି।
ଯେତେବେଳେ ଏକ ସାଧକ, ଜୀବନର ଲକ୍ଷ୍ୟ ଭାବେ ଭଗବତ ସାକ୍ଷାତ୍କାର ଉପରେ ନିରନ୍ତର ପ୍ରୟାସ ଜାରି ରଖେ, ସେ ଏକ ଦିବ୍ୟତା ମଧ୍ୟ ଦେଇ ତୀର୍ଥଯାତ୍ରୀ ପରି ସଚେତନ ଜୀବନ ଯାପନ କରେ। ତେଣୁ ଆସନ୍ତୁ, ଯେ କୌଣସି ସ୍ଥାନରେ, ଯେଉଁ କାମ ଆମେ କରୁଥାଉ ପଛେ, ଗୁରୁ ଓ ଗୋବିନ୍ଦଙ୍କୁ ସଦା ଆମ ହୃଦୟରେ ରଖିବା। ଏହି ଅନନ୍ୟ ଭକ୍ତି, ପ୍ରେମ, ଭରସା, ଏବଂ ଗୁରୁ ଓ ଗୋବିନ୍ଦଙ୍କ ପ୍ରତି ଅତୁଟ ନିଷ୍ଠା — ଆମକୁ ଦିବ୍ୟତାର ନିକଟବର୍ତ୍ତୀ କରିବା ସଂଗେ ସଂଗେ ସେହି ଶତ୍ତାରେ ଲୀନ ହେବାକୁ ସହାୟତା ପ୍ରଦାନ କରିବ।
– ଶ୍ରୀ ନିର୍ବାଣାନନ୍ଦ–
ଶ୍ରୀ ନିର୍ବାଣାନନ୍ଦଜୀ ୧୧ ଜାନୁଆରୀ ୧୯୫୫ ମସିହାରେ ଭାରତର ଓଡ଼ିଶା ରାଜ୍ୟର ପୁରୀ ସହର ନିକଟବର୍ତ୍ତୀ ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ କଥା ଅନୁସାରେ, ତାଙ୍କ ପରିବାର ଆର୍ଥିକ ଭାବେ ସମୃଦ୍ଧ ନ ଥିଲା, ତଥାପି ସେ କେବେ ଅଭାବ ଅନୁଭବ କରିନଥିଲେ। ପିଲାଦିନୁ ହିଁ ସେ ନିରବତା ଓ ସରଳତା ପ୍ରତି ଆକୃଷ୍ଟ ଥିଲେ, ଏବଂ ପ୍ରକୃତିର ଶାନ୍ତ ସୌନ୍ଦର୍ଯ୍ୟରେ ଗଭୀର ଆନନ୍ଦ ପାଉଥିଲେ।
ମେ ୧୯୭୨ ମସିହାରେ, ଅଠର ବର୍ଷ ବୟସରେ କଲେଜ ଜୀବନରେ, ପ୍ରଥମ କରି ପୂଜ୍ୟା ମା’ଙ୍କ ନିକଟକୁ ଆସିଥିଲେ। ଆଶ୍ରମରେ ପ୍ରଥମ ଦିନ ହିଁ, ମାଆ ତାଙ୍କୁ ଗୋଟିଏ ବ୍ୟାଗ୍ ଓ କିଛି ଟଙ୍କା ଦେଇ, ବଜାରକୁ ଯାଇ ଦୈନିକ ଆବଶ୍ୟକତାର ସାମଗ୍ରୀ କିଣି ଆଣିବାକୁ କହିଥିଲେ। ସେ ଏହି ଛୋଟ ସେବାକୁ ଆନନ୍ଦ ଓ ସରଳତା ସହିତ ପାଳନ କରିଥିଲେ।
ସେହି ପ୍ରଥମ ସାକ୍ଷାତ୍ରୁ ହିଁ, ତାଙ୍କର ସ୍ୱାଭାବିକ ଭରସା ଓ ସେବା କରିବାର ଉତ୍ସାହ ଜନ୍ମ ନେଇଥିଲା। ଶୀଘ୍ର ସେ ଆଶ୍ରମରେ ରହିବା ଆରମ୍ଭ କଲେ। ଏବେ ସ୍ପଷ୍ଟ ହୁଏ ଯେ ଏହି ଦିବ୍ୟ ମିଳନ କୌଣସି ସାଧାରଣ ଘଟଣା ନୁହେଁ, ବରଂ ଭଗବତ ନିର୍ଦ୍ଧାରିତ ଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ, ଶ୍ରୀ ନିର୍ବାଣାନନ୍ଦଜୀ ସମ୍ପୂର୍ଣ୍ଣଭାବେ ପୂଜ୍ୟା ମା’ଙ୍କ ସେବା କରିଆସୁଛନ୍ତି।


ଉଚ୍ଚଶିକ୍ଷାର ଦ୍ୱିତୀୟ ବର୍ଷ ସମାପ୍ତ କରିବା ପରେ, ସେ ପାରଳାଖେମୁଣ୍ଡି ଗଜପତି କଲେଜ୍ରେ ଉଚ୍ଚଶିକ୍ଷା ପାଇଁ ଯୋଗ ଦେଲେ। କିନ୍ତୁ ପୂଜ୍ୟା ମା’ଙ୍କୁ ଛାଡ଼ି ଦୂରରେ ରହିବା ତାଙ୍କ ପାଇଁ କଷ୍ଟକର ଥିଲା, ଏବଂ ମା’ ନିଜେ ତାଙ୍କ ଉପରେ ସ୍ନେହଭରା କୃପାଦୃଷ୍ଟି ରଖିଥିଲେ। ଗୋଟିଏ ପତ୍ରରେ ତାଙ୍କୁ ମା’ ଲେଖିଥିଲେ, “ତୁମେ ଯେଉଁଠାରେ ଥିଲେ ମଧ୍ୟ ମୋର। ତେଣୁ ବ୍ୟସ୍ତ ହେବାର ନାହିଁ। ତୁମ ଜୀବନ ଆଦର୍ଶମୟ ହେଉ, ଭଲ ହୁଅ, ସବୁଠାରେ ଭଲ କରିବ” । ପରେ, ମାଆଙ୍କ କୃପାରେ, ପୁରୀର SCS କଲେଜ୍ରେ ପଢ଼ା ଜାରି ରଖିବାକୁ ସୁଯୋଗ ମିଳିଗଲା।
ସ୍ନାତକ ହେବା ପରେ, ସେ ଗୋଟିଏ ବ୍ୟାଙ୍କରେ ଚାକିରି ପାଇ ପ୍ରତିଦିନ ଆଶ୍ରମରୁ ଯିବା ଆସିବା କରୁଥିଲେ। ଆଶ୍ରମରୁ ବାହାରିବା ପୂର୍ବରୁ ମା’ ପ୍ରତିଦିନ ସକାଳେ ନିଜେ ତାଙ୍କ ଗଳାର ଟାଇ ବାନ୍ଧି ଦେଉଥିଲେ। ମନେ ହୁଏ ଯେ ଏହି ସମୟଟି ମଧ୍ୟ ମା’ଙ୍କ ଦ୍ଵାରା ଶିକ୍ଷାର ଏକ ଅଂଶ ଥିଲା, ଯାହା ଆଗାମୀଦିନମାନଙ୍କରେ ଆଶ୍ରମ ସେବାର ଦାୟିତ୍ୱ ବହନ କରିବା ପାଇଁ ତାଙ୍କୁ ବ୍ୟବହାରିକ ଅନୁଭବ ମାଧ୍ୟମରେ ପ୍ରସ୍ତୁତ କରୁଥିଲା।
୧୯୯୧ ମସିହାରେ ଶ୍ରୀ ନିର୍ବାଣାନନ୍ଦଜୀ ବ୍ୟାଙ୍କର ଚାକିରି ଛାଡ଼ି ସମ୍ପୂର୍ଣ୍ଣ ଭାବେ ମା’ଙ୍କ ସେବାରେ ନିଜକୁ ନିଯୁକ୍ତ କରିଦେଲେ। ସେବେଠାରୁ ସେ ତାଙ୍କ ଅନ୍ତରଙ୍ଗ ସହାୟକ ଭାବେ ଦିନରାତି ନିରବିଛିନ୍ନ ଭାବେ ମା’ଙ୍କ ସେବା କଲେ ଓ ତାହା ସହିତ ଆଶ୍ରମର ଅନେକ ଦାୟିତ୍ୱ ମଧ୍ୟ ଗ୍ରହଣ କଲେ। ମା’ ପ୍ରାୟ ସମୟରେ ସ୍ନେହସହ ତାଙ୍କୁ “ପର୍ସନାଲ୍ ସେକ୍ରେଟାରୀ” ବୋଲି ପରିଚୟ କରାଉଥିଲେ। ସେ ସ୍ମରଣ କରନ୍ତି ଯେ ସେ କେବେ ଥକ୍କା ଅନୁଭବ କରୁ ନ ଥିଲେ, କାରଣ ସେହି ସେବା ମାଧ୍ୟମରେ ତାଙ୍କ ହୃଦୟ ସଦା ଆନନ୍ଦାନୁଭୂତିରେ ପରିପୂର୍ଣ୍ଣ ଥିଲା। ସେ କହନ୍ତି ଯେ ଏପରି ଅତ୍ୟନ୍ତ ମୂଲ୍ୟବାନ ଓ ପବିତ୍ର ସୁଯୋଗ ମିଳିଥିଲା କେବଳ ମା’ଙ୍କ ଅନନ୍ତ କୃପାଯୋଗୁଁ।


ମେ ୨୦୦୨ ମସିହାରେ ପୂଜ୍ୟା ମା’ଙ୍କ ମହାପ୍ରୟାଣ ପରେ, ସେ ସେହି ଭାବନା ସହିତ ଆଶ୍ରମର ସେବା ଜାରି ରଖିଥିଲେ, ଏବଂ ପରବର୍ତୀ ଅଧ୍ୟକ୍ଷ ସ୍ୱାମୀଜୀ ମହାରାଜଙ୍କୁ ଅତୁଟ ନିଷ୍ଠା ସହ ସହଯୋଗ କରିଆସିଥିଲେ। ଏପ୍ରିଲ୍ ୨୦୨୫ ମସିହାରେ ସ୍ୱାମୀଜୀଙ୍କ ମହାସମାଧି ପରେ, ଶ୍ରୀ ନିର୍ବାଣାନନ୍ଦଜୀ ଗଭୀର ଭକ୍ତି ଓ ଅଙ୍ଗୀକାର ସହିତ ନିଜକୁ ଅର୍ପଣ କରି ଦିବ୍ୟଧାମ ଯୋଗାଶ୍ରମର ଅଧ୍ୟକ୍ଷ ଭାବେ ସେବା କରିବାର ଦାୟିତ୍ୱ ଗ୍ରହଣ କଲେ।
