“ସର୍ବଦା ଗୁରୁଙ୍କୁ ସ୍ମରଣ କର,
ଭଗବାନଙ୍କୁ ସ୍ମରଣ କର,
ଏବଂ ଜୀବନର ପ୍ରକୃତ ଲକ୍ଷ୍ୟକୁ ସ୍ମରଣ କର।
ଯଦି ଏହି ତିନୋଟି କଥାକୁ
ସାରା ଜୀବନ ସ୍ମରଣ କରିପାରିବ,
ତେବେ ଏହି ଜୀବନ ସାର୍ଥକ ହେବ। “
– ସ୍ୱାମୀ ଆନନ୍ଦ –

ପୂଜ୍ୟ ସ୍ୱାମୀ ଆନନ୍ଦଜୀ ମହାରାଜ
“ ପ୍ରିୟ ସତ୍ତ୍ୱାନ୍ୱେଷୀ ସୁଧୀଜନ!
ଜୀବନରେ ଅନେକ ପ୍ରଶ୍ନ ଅଛି ଯାହାର ଉତ୍ତର ମିଳେ ନାହିଁ।
ଏହି ଜୀବନ ଏକ ରହସ୍ଯ ଓ ଏ ଜୀବନରେ ଅସଂଖ୍ଯ ସମସ୍ୟା ।
ଏହି ପ୍ରଶ୍ନଗୁଡ଼ିକ କ’ଣ ଉତ୍ତରହୀନ ହୋଇ ରହିଯିବ,
ନା ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଏବଂ ସମସ୍ୟାଗୁଡ଼ିକର ସମାଧାନ ଅଛି ?
ଏହି ସମସ୍ତ ପ୍ରଶ୍ନର ଉତ୍ତର ଏବଂ ସମାଧାନ ନିଶ୍ଚିତ ଭାବରେ ଅଛି,
ଏବଂ ଏ ସବୁର ଉତ୍ତର ହେଉଛି ଗୋଟିଏ ।
ଏହା ହେଉଛି ଆତ୍ମ-ଉପଲବ୍ଧି ଓ ନିଷ୍ଠାପର ସାଧନା ଦ୍ୱାରା
ନିଜ ଭିତରେ ଲୁକ୍କାୟିତ ଆତ୍ମସତ୍ତାର ଆବିଷ୍କାର,
ଯାହା ଏହି ସୃଷ୍ଟିର ଉତ୍ସ ଏବଂ ସାରାଂଶ ମଧ୍ଯ । “
– ସ୍ୱାମୀ ଆନନ୍ଦ –
ପୂଜ୍ୟ ସ୍ୱାମୀ ଆନନ୍ଦଜୀ ମହାରାଜ ୧୯୫୦ ମସିହା ଏପ୍ରିଲ ୧୮ ତାରିଖରେ ଓଡ଼ିଶାର ଏକ ସମ୍ଭ୍ରାନ୍ତ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସ୍ୱାମୀଜୀ ସୁପ୍ରସିଦ୍ଧ ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷା ଗ୍ରହଣ କରିଥିଲେ । ତାଙ୍କ ପିତାମାତା ତାଙ୍କୁ ଉଚ୍ଚ ଶିକ୍ଷା ପାଇଁ ବିଦେଶକୁ ପଠାଇବାର ଯୋଜନା କରିଥିଲେ ।
ମାତ୍ର ଉନବିଂଶ ବର୍ଷ ବୟସରେ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ, ସ୍ୱାମୀଜୀଙ୍କ ହୃଦୟରେ ସଂସାର ପ୍ରତି ଏକ ପ୍ରବଳ ବୈରାଗ୍ୟ ଏବଂ ଜୀବନର ଗଭୀର ରହସ୍ୟକୁ ଜାଣିବା ପାଇଁ ଏକ ବ୍ୟାକୁଳ ଇଚ୍ଛା ଜାଗୃତ ହୋଇଥିଲା। ଅନ୍ତରାତ୍ମାର ଏହି ଆହ୍ୱାନରେ ପ୍ରେରିତ ହୋଇ, ସେ ତାଙ୍କ ପାଠପଢ଼ା ଛାଡ଼ି ଭାରତର ବିଭିନ୍ନ ସ୍ଥାନରେ ପରିଭ୍ରମଣ କରିଥିଲେ, ଏବଂ ଅନ୍ତରର ପରିତୃପ୍ତି ପାଇଁ କିଛି ଏକ ଅନ୍ଵେଷଣରେ ନିଜକୁ ହଜାଇ ଦେଇଥିଲେ ।

ଏହି ସତ୍ଯର ଅନ୍ୱେଷଣ ଅବସରରେ, ସ୍ୱାମୀଜୀ ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଏକ ତୀର୍ଥ ସ୍ଥାନ ପୁରୀର ସାଗର ତଟରେ ଥିବା ଏକ ଛୋଟ ଆଶ୍ରମକୁ ଐଶ୍ୱରୀୟ ନିର୍ଦ୍ଦେଶ ଦ୍ୱାରା ପରିଚାଳିତ ହୋଇ ଆସିଥିଲେ । ସେଠାରେ, ସ୍ୱାମୀଜୀ ତାଙ୍କ ପୂଜ୍ଯ ଗୁରୁ – ଦିବ୍ଯଧାମର ଅଧିଷ୍ଠାତ୍ରୀ, ମା’ ଭାବମଯ଼ୀ ପରମହଂସଙ୍କୁ ଭେଟିଥିଲେ ଓ ତା’ ପରେ ତାଙ୍କ ଜୀବନରେ ଏକ ନୂତନ ମୋଡ଼ ଆସିଥିଲା ।
ଜୀବନର ଗଭୀର ମୂଲ୍ୟବୋଧ ଅନ୍ୱେଷଣ ପାଇଁ ତାଙ୍କୁ ମାର୍ଗଦର୍ଶନ କରିପାରୁଥିବା ଜଣେ ପ୍ରକୃତ ଗୁରୁଙ୍କୁ ଖୋଜିବା ଉଦ୍ଦେଶ୍ୟରେ ସ୍ୱାମୀଜୀ ହିମାଳୟ ଯିବାକୁ ଇଚ୍ଛା ପୋଷଣ କରିଥିଲେ ଏବଂ ପୂଜ୍ୟା ମା’ଙ୍କ ସହ ତାଙ୍କର ପ୍ରାରମ୍ଭିକ ସାକ୍ଷାତ ସମୟରେ ଏହା ପ୍ରକାଶ କରିଥିଲେ।
ମା’ ତାଙ୍କୁ ଗଭୀର ଅର୍ଥପୂର୍ଣ୍ଣ ଶବ୍ଦଗୁଡ଼ିକ ସହିତ ଉତ୍ତର ଦେଇଥିଲେ —
“ତୁମେ ଯେଉଁଠିକି ଯିବ, ତୁମ ମନକୁ ସାଥିରେ ନେଇକରି ଯିବ କି ନାହିଁ ?
ଯଦି ମନରେ ଶାନ୍ତି ନାହିଁ, ତେବେ ତୁମେ ଯେଉଁଠିକି ଯିବ
ସେଠାକୁ ନିଜର ମାନସିକ ଦ୍ୱନ୍ଦ୍ୱକୁ ସାଥିରେ ନେବନାହିଁ କି ?“
ମା’ଙ୍କର ଏହି ସରଳ ବାକ୍ୟର ସତ୍ୟତା ତାଙ୍କ ହୃଦୟର ଗଭୀରତାରେ ପ୍ରବେଶ କରିଥିଲା । ନମ୍ର ଏବଂ ଅସହାୟ ହୋଇ ସେ ମା’ଙ୍କୁ ତାଙ୍କ ଅଶାନ୍ତ ମନକୁ ଶାନ୍ତ କରିବାକୁ ଅନୁରୋଧ କରିଥିଲେ। ଏହା ପରଠାରୁ ସ୍ୱାମୀଜୀଙ୍କର ଜୀବନର ଏକ ନୂତନ ଯାତ୍ରାର ଅୟମାରମ୍ଭ ହୋଇଥିଲା ଏବଂ ପୂଜ୍ୟା ମା’ ତାଙ୍କୁ ଶିଷ୍ୟ ରୂପେ ଗ୍ରହଣ କରି କ୍ରିୟାଦୀକ୍ଷା ପ୍ରଦାନ କରିଥିଲେ ।
ସ୍ୱାମୀଜୀ ମା’ଙ୍କ ଠାରୁ ଦୀକ୍ଷା ନେବାପରେ, ମା’ଙ୍କ ନିର୍ଦ୍ଦେଶିତ ମାର୍ଗଦର୍ଶନରେ କଠୋର ସାଧନା ଆରମ୍ଭ କରିଥିଲେ। ତାଙ୍କ ଗୁରୁଙ୍କ ଦିବ୍ଯ କୃପା ବଳରେ, ସେ ଖୁବ ଶୀଘ୍ର ଗଭୀର ଧ୍ୟାନ ଓ ଅତ୍ୟନ୍ତ ଚମତ୍କାର ଆଧ୍ୟାତ୍ମିକ ଅନୁଭୂତି ଲାଭ କରିଥିଲେ ଓ ଆତ୍ମ-ଉପଲବ୍ଧିର ପଥରେ ତୀବ୍ର ଗତିରେ ଆଗେଇ ଯାଇଥିଲେ ।


୧୯୮୬ ମସିହାରେ ହରିଦ୍ୱାରରେ ଆୟୋଜିତ କୁମ୍ଭ ମେଳା ସମୟରେ ସ୍ୱାମୀଜୀ ସନ୍ନ୍ୟାସ ଦୀକ୍ଷା ଗ୍ରହଣ କରିଥିଲେ ଶ୍ରୀମା’ଙ୍କ ଠାରୁ। ଏହା ପରେ ‘ସ୍ୱାମୀ ଆନନ୍ଦ’ ଭାବେ ପରିଚିତ ହୋଇଥିଲେ। ପୂଜ୍ୟା ମା’ଙ୍କ ନିର୍ଦ୍ଦେଶ ପାଳନକରି, ସ୍ୱାମୀଜୀ ନିଷ୍ଠାପର ଅନୁସନ୍ଧିତ୍ସୁମାନଙ୍କର ମାର୍ଗଦର୍ଶନ କରିବା ପାଇଁ ନିଜକୁ ଉତ୍ସର୍ଗ କରିଥିଲେ।
ଶ୍ରୀ ଗୁରୁଙ୍କ ଇଚ୍ଛାକୁ ପୂରଣ କରିବା ନିମନ୍ତେ, ସେ ୟୁରୋପ, ଜାପାନ ଏବଂ ଚିଲୀ ଯାତ୍ରା କରିଥିଲେ। ଜୀବନର ପ୍ରକୃତ ଅର୍ଥ ଅନୁସନ୍ଧାନରେ ଇଚ୍ଛୁକ ବହୁ ସାଧକ ଓ ସାଧିକାମାନଙ୍କୁ ସେ ଜ୍ଞାନପୂର୍ଣ୍ଣ ବାର୍ତ୍ତା ଏବଂ ବ୍ୟକ୍ତିଗତ ମାର୍ଗଦର୍ଶନ ଦ୍ୱାରା ସତ୍ ମାର୍ଗରେ ଆଗେଇନେଇଛନ୍ତି ଓ ପ୍ରକୃତ ସାର ବସ୍ତୁ – ‘ଦିବ୍ୟ ଆଲୋକ ଏବଂ ପରମ ଆନନ୍ଦର ଉତ୍ସ’ର ଆବିଷ୍କାର କରିବାର ଉପାୟ ଶିଖାଇଛନ୍ତି ।
ଗୁରୁଙ୍କ ଶିକ୍ଷାରେ ନିହିତ ଏବଂ ନିଜ ଆଧ୍ୟାତ୍ମିକ ଅନୁଭୂତି ଦ୍ୱାରା ସମର୍ଥିତ ହୃଦୟସ୍ପର୍ଶୀ ବାର୍ତ୍ତା ଦ୍ୱାରା ଅନେକ ବ୍ୟକ୍ତିଙ୍କୁ ଆଧ୍ୟାତ୍ମିକ ମାର୍ଗରେ ଯାତ୍ରା କରିବା ପାଇଁ ପ୍ରେରଣା ପ୍ରଦାନ କରିଛନ୍ତି। ସ୍ୱାମୀଜୀଙ୍କର ମାର୍ଗଦର୍ଶନ ବିଶ୍ୱର ଅନେକଙ୍କ ଜୀବନକୁ ବଦଳାଇ ପାରିଛି ଓ ସେମାନେ ପୂଜ୍ୟା ମା’ ଏବଂ ସ୍ୱାମୀଜୀଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗକୁ ଅନୁସରଣ କରିଛନ୍ତି।
ପୂଜ୍ୟା ଗୁରୁ ମା’ ମଇ ୨୦୦୨ ରେ ତାଙ୍କ ଦିବ୍ୟ ବାସସ୍ଥାନକୁ ବାହୁଡ଼ିଯିବା ପରଠାରୁ ସ୍ୱାମୀଜୀ ଦିବ୍ୟଧାମ ଯୋଗାଶ୍ରମର ଅଧ୍ୟକ୍ଷ ଭାବରେ କାର୍ଯ୍ୟରତ ଥିଲେ । ସେ ତାଙ୍କ ଗୁରୁଙ୍କ ଶିକ୍ଷା ଏବଂ ଆଦର୍ଶକୁ ଏକ ଜୀବନ୍ତ ପରମ୍ପରା ଭାବରେ ବଜାୟ ରଖି ସାଧକମାନଙ୍କୁ ସତ୍ୟନିଷ୍ଠା ଓ ଅଚଳଭକ୍ତି ସହିତ ଆଧ୍ୟାତ୍ମିକ ପଥରେ ଅଗ୍ରସର ହେବାପାଇଁ ୨୨ ଏପ୍ରିଲ ୨୦୨୫ ନିଜର ମହାସମାଧି ପ୍ରାପ୍ତ ପର୍ଯ୍ୟନ୍ତ ମାର୍ଗଦର୍ଶନ କରିଆସୁଥିଲେ।

